Pratidin TV

Odisha's Digital News Platform

ପଦରୁ ଇସ୍ତଫା ପରେ ଦେଶ ଛାଡିଲେ ପ୍ରଧାନମନ୍ତ୍ରୀ; ଭାରତ ଶରଣରେ ଶେଖ୍ ହସିନା, ତାପରେ ଲଣ୍ଡନରେ ନେବେ ଆଶ୍ରୟ !

1 min read

ଦେଶ ଛାଡ଼ିବା ପରେ ଶେଖ ହସିନା ଏବେ ଭାରତରେ ଅଛନ୍ତି। ହିଣ୍ଡନ ଏୟାରବେସରେ ତାଙ୍କର ସ୍ୱତନ୍ତ୍ର ବିମାନ ଅବତରଣ କରିଛି। ଏଠାରେ ଏନଏସଏ ଅଜିତ ଡୋଭାଲ ତାଙ୍କୁ ସାକ୍ଷାତ କରିଛନ୍ତି। ଦୁହିଁଙ୍କ ମଧ୍ୟରେ ପ୍ରାୟ ଦେଢ଼ ଘଣ୍ଟା ଆଲୋଚନା ହୋଇଛି। ପଶ୍ଚିମ ବାୟୁସେନା ୱିଙ୍ଗ ମୁଖ୍ୟ ଏୟାର ମାର୍ଶାଲ ପି. ଏମ ସିହ୍ନା ମଧ୍ୟ ଶେଖ ହସିନାଙ୍କ ସହିତ ସାକ୍ଷାତ କରିଛନ୍ତି।

ତେବେ ସେ ଭାରତରେ ପହଞ୍ଚିଥିବାବେଳେ ଏଠାରୁ ଲଣ୍ଡନ ଯାଇପାରନ୍ତି ବୋଲି କୁହାଯାଉଛି । ସୁରକ୍ଷା କାରଣରୁ ଶେଖ ହସିନା ଓ ତାଙ୍କ ଭଉଣୀ ବାଂଲାଦେଶ ଛାଡ଼ିଥିବା କୁହାଯାଉଛି। ତାଙ୍କ ବାସଭବନକୁ ହଜାର ହଜାର ଆନ୍ଦୋଳନକାରୀ ପ୍ରବେଶ କରି କବଜା କରିଛନ୍ତି। କିଛି ସମୟ ପରେ ବାଂଲାଦେଶର ଆର୍ମି ଚିଫ୍ ଦେଶବାସୀଙ୍କୁ ସମ୍ବୋଧନ କରି ପାରନ୍ତି। ଏହା ବି ଚର୍ଚ୍ଚା ହେଉଛି ବାଂଲାଦେଶରେ ସାମରିକ ବିଦ୍ରୋହ ହୋଇଛି। ସଂରକ୍ଷଣ ପ୍ରତିବାଦରେ ବେଶ କିଛି ଦିନ ହେଲାଣି ଜଳୁଛି ବାଂଲାଦେଶ।

କିଛିଦିନ ହେବ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଥିବା ଲକ୍ଷ ଲକ୍ଷ ଲୋକ ଆଜି ପ୍ରଧାନମନ୍ତ୍ରୀଙ୍କ ଭବନ ଘେରାଉ କରିଥିଲେ । ପରିସ୍ଥିତି ଅଣାୟତ ହେବାକୁ ବାଂଲାଦେଶ ସେନା ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲା । ସେନା ପ୍ରସ୍ତାବକୁ ଗ୍ରହଣ କରି ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ତୁରନ୍ତ ସେନା ସହାୟତାରେ ଦେଶ ଛାଡି ଭାରତରେ ପହଂଚିଛନ୍ତି ।

ସୂଚନା ଅନୁଯାୟୀ, ଶେଖ ହସିନା ଭାରତ ଆସିବା ପୂର୍ବରୁ ଦିଲ୍ଲୀରେ ସୋମବାର ଦିନ ଦ୍ୱିପ୍ରହରରେ ଅଜିତ ଡୋଭାଲ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ସେନା ମୁଖ୍ୟ, RAW ମୁଖ୍ୟ, ବାୟୁସେନା ମୁଖ୍ୟ ଏବଂ ଅନ୍ୟାନ୍ୟ ଏଜେନ୍ସିର ମୁଖ୍ୟଙ୍କ ମଧ୍ୟରେ ଏକ ବଡ଼ ଵୈଠକ ଅନୁଷ୍ଠିତ ହୋଇଥିଲା। ଏହି ଵୈଠକରେ ହିଁ ବାଂଲାଦେଶରୁ ଶେଖ ହସିନାଙ୍କ ପ୍ରସ୍ଥାନ ଯୋଜନା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା। ଏହା ପରେ ସେ ବାଂଲାଦେଶରୁ ଇସ୍ତଫା ଦେଇ ଭାରତ ଆସିଥିଲେ।

Leave a Reply

Your email address will not be published. Required fields are marked *